ଭାଗ — ୧ : ବିଦାୟ
ଶୀତ ସକାଳ।
ଆକାଶ ନିର୍ମଳ ଥିଲା। ମେଘର ଚିହ୍ନ ନଥିଲା। ତଥାପି ପବନରେ ଥିଲା ଏକ ଶୀତଳତା—ଯାହା ଦେହକୁ ନୁହେଁ, ବେଳେବେଳେ ମନକୁ ମଧ୍ୟ ଥରାଇ ଦିଏ।ଉତ୍କଳ ବିଶ୍ୱବିଦ୍ୟାଳୟର ପରିସର ସେତେବେଳେ ଧୀରେ ଧୀରେ ଜାଗୁଥିଲା।ଛାତ୍ରଛାତ୍ରୀମାନେ ନିଜ ନିଜ ବିଭାଗ ଆଡ଼କୁ ଯାଉଥିଲେ। କେଉଁଠି ଚା' ଦୋକାନରୁ ଧୂଆଁ ଉଠୁଥିଲା, କେଉଁଠି ଗଛ ତଳେ ଛାତ୍ରମାନଙ୍କ ଛୋଟ ଛୋଟ ଦଳ।ସେହି ଭିଡ଼ ମଧ୍ୟରେ ଜଣେ ବ୍ୟକ୍ତି ଧୀର ପାଦରେ ଆଗକୁ ବଢ଼ୁଥିଲେ।କଳା କୋଟ।କଳା ପ୍ୟାଣ୍ଟ।ଲାଲ ଟାଇ।ପାଦରେ ଚକଚକିଆ କଳା ଜୋତା।ସୁଉଚ୍ଚ ଶରୀର, ଗୌର ବର୍ଣ୍ଣ ଓ ଶାନ୍ତ ମୁହଁ।ତାଙ୍କ ହାତରେ ଥିଲା ଗୋଟିଏ କାଗଜ।କାଗଜଟି ସାଧାରଣ ଥିଲା।କିନ୍ତୁ ତାହା ତାଙ୍କ ଜୀବନର ଏକ ବଡ଼ ନିଷ୍ପତ୍ତି ବୋହି ନେଉଥିଲା।ତାଙ୍କ ନାମ—ଅଭିଶେକ।ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଜଣେ ଅତ୍ୟନ୍ତ ପ୍ରିୟ ଅଧ୍ୟାପକ।ପ୍ରାୟ ଦଶ ବର୍ଷ ହେଲା ସେ ଏଠାରେ ପଢ଼ାଉଛନ୍ତି।ଦଶ ବର୍ଷ...କିନ୍ତୁ ଆଜି ସେହି ଅଧ୍ୟାୟର ଶେଷ ଦିନ।ଅଭିଶେକ ଉପକୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିଲେ।କିଛି ସେକେଣ୍ଡ ଦ୍ୱାର ଆଡ଼କୁ ଚାହିଁ ରହିଲେ।ତା'ପରେ ଧୀରେ କବାଟରେ ଠକ୍ ଠକ୍ କଲେ।“ଆସନ୍ତୁ।”ଅଭିଶେକ ଭିତରକୁ ପ୍ରବେଶ କଲେ।“ସାର୍...”“ହଁ, ଅଭିଶେକ। ବସ।”ଅଭିଶେକ ବସିଲେ ନାହିଁ।ସେ ହାତରେ ଧରିଥିବା କାଗଜଟି ଉପକୁଳପତିଙ୍କ ଟେବୁଲ୍ ଉପରେ ରଖିଦେଲେ।ଏହା କ'ଣ?”“ମୋର ପଦତ୍ୟାଗ ପତ୍ର, ସାର୍।”ଉପକୁଳପତି ଚଷମାଟିକୁ ଠିକ୍ କରି କାଗଜଟି ଉଠାଇଲେ।ପଢ଼ିବା ଆରମ୍ଭ କଲେ।ପ୍ରଥମ କିଛି ଧାଡ଼ି ପଢ଼ିବା ପରେ ତାଙ୍କ ମୁହଁରେ ଆଶ୍ଚର୍ଯ୍ୟ ଫୁଟିଉଠିଲା।“ତୁମେ... ଚାକିରି ଛାଡ଼ୁଛ?”“ହଁ ସାର୍।”“କାହିଁକି?”ଅଭିଶେକ ଚୁପ୍ ରହିଲେ।ଉପକୁଳପତି ପୁଣି କହିଲେ—“ତୁମେ ଏଠାରେ ପ୍ରାୟ ଦଶ ବର୍ଷ ହେଲା ପଢ଼ାଉଛ। ଛାତ୍ରମାନେ ତୁମକୁ ପସନ୍ଦ କରନ୍ତି। ସହକର୍ମୀମାନେ ତୁମକୁ ସମ୍ମାନ କରନ୍ତି। ଆଉ ଏବେ ହଠାତ୍ ପଦତ୍ୟାଗ?”ସେ କାଗଜଟି ପୁଣି ଦେଖିଲେ।“କାରଣ ଲେଖିଛ—‘ଏହି ସହରର ପରିବେଶ ଆଉ ଭଲ ଲାଗୁନାହିଁ।’”ସେ ହସିଲେ।“ଅଭିଶେକ, ଏହା କାରଣ ନୁହେଁ। ଏହା କେବଳ ଗୋଟିଏ ବାହାନା।”ଅଭିଶେକଙ୍କ ମୁହଁରେ କୌଣସି ପରିବର୍ତ୍ତନ ଆସିଲା ନାହିଁ।“ତୁମର କାହା ସହିତ ଝଗଡ଼ା ହୋଇଛି?”“ନାହିଁ ସାର୍।”“ଦରମାକୁ ନେଇ କିଛି ସମସ୍ୟା?”
“ନାହିଁ।”
“ପରିବାରରେ କିଛି ଅସୁବିଧା?”
“ନାହିଁ।”
“ତାହେଲେ?”
ଅଭିଶେକ ଜାଣ୍ଲା ଆଡ଼କୁ ଚାହିଁଲେ।
କିଛି ସମୟ ପରେ କହିଲେ—
“ମୁଁ କେବଳ ଏଠାରୁ ଦୂରକୁ ଯିବାକୁ ଚାହୁଁଛି।”
“କେଉଁଠି?”
ଅଭିଶେକ ହାଲୁକା ହସିଲେ।
“ଜାଣିନି।”
ଉପକୁଳପତି ତାଙ୍କ ଆଡ଼କୁ ଚାହିଁ ରହିଲେ।
“ଜାଣିନି?”
“ହଁ।”
“ତାହେଲେ ତୁମେ ଯାଉଛ କୁଆଡ଼େ?”
“ଯେଉଁଠି ମୋତେ ରହିବାକୁ ଇଚ୍ଛା ହେବ...”
କିଛି ମୁହୂର୍ତ୍ତ ପାଇଁ ଘରଟି ନିରବ ହୋଇଗଲା।
ଉପକୁଳପତି ଶେଷରେ ପଦତ୍ୟାଗ ପତ୍ରଟିରେ ହସ୍ତାକ୍ଷର କଲେ।
“ଠିକ୍ ଅଛି। କିନ୍ତୁ ତୁମକୁ ଗୋଟିଏ କାମ କରିବାକୁ ପଡ଼ିବ।”
ଅଭିଶେକ ଚାହିଁଲେ।
“ଆଜି ତୁମର ଶେଷ କ୍ଲାସ୍ ନିଅ।”
“ଆଜି?”
“ହଁ। ତୁମ ପ୍ରିୟ ଛାତ୍ରମାନଙ୍କୁ ଶେଷଥର ପାଇଁ ପଢ଼ାଇ ଯାଅ।”
ଅଭିଶେକ କିଛି ସମୟ ଚୁପ୍ ରହିଲେ।ତା'ପରେ ମୁଣ୍ଡ ହଲାଇଲେ।“ଠିକ୍ ଅଛି, ସାର୍।”ଇତିହାସ ବିଭାଗର ଶ୍ରେଣୀଗୃହ।କାନ୍ଥରେ ଟଙ୍ଗା ହୋଇଥିଲା ଅନେକ ଐତିହାସିକ ଚିତ୍ର।ପୁରୁଣା ସଭ୍ୟତା।ପ୍ରାଚୀନ ରାଜା।ଯୁଦ୍ଧ, ପୁରୁଣା ମୁଦ୍ରା,ଏବଂ ଅନେକ ଐତିହାସିକ ବସ୍ତୁର ମଡେଲ୍।ଅଭିଶେକ ଶ୍ରେଣୀରେ ପ୍ରବେଶ କରିବାମାତ୍ରେ ଛାତ୍ରମାନେ ଶାନ୍ତ ହୋଇଗଲେ।କ୍ଲାସ୍ ଆରମ୍ଭ ହେଲା।ସବୁଦିନ ପରି ଅଭିଶେକ ଇତିହାସ ପଢ଼ାଇଲେ।କିନ୍ତୁ ଆଜି ତାଙ୍କ କଣ୍ଠରେ ଥିଲା ଏକ ଅଜଣା ଭାବ।କ୍ଲାସ୍ ଶେଷ ହେବା ସମୟରେ ସେ ହଠାତ୍ କହିଲେ—“ଆଜି ମୋର ଏଠାରେ ଶେଷ କ୍ଲାସ୍।”ଶ୍ରେଣୀଗୃହରେ ଗୁଞ୍ଜନ ଖେଳିଗଲା।“କ'ଣ?”“ସାର୍ ଚାକିରି ଛାଡ଼ୁଛନ୍ତି?”ଅଭିଶେକ ହସିଲେ।“ହଁ।”ସେ ବ୍ଲାକବୋର୍ଡ ଆଡ଼କୁ ଗଲେ।ଚକ୍ ଉଠାଇ ଗୋଟିଏ ଶବ୍ଦ ଲେଖିଲେ—ଇତିହାସ।ତା'ପରେ ଛାତ୍ରମାନଙ୍କ ଆଡ଼କୁ ଫେରିଲେ।“ତୁମେ ଭାବୁଛ, ଇତିହାସ ମାନେ କ'ଣ?”କେହି କିଛି କହିଲେ ନାହିଁ।“ବହିରେ ଯାହା ଲେଖା ଅଛି?”ସେ ହାଲୁକା ହସିଲେ।
“ନା।”
“ବହିରେ ଯାହା ଲେଖାଯାଇଛି, ତାହା ଇତିହାସର କେବଳ ଗୋଟିଏ ଅଂଶ।”
ଛାତ୍ରମାନେ ମନୋଯୋଗର ସହ ଶୁଣୁଥିଲେ।
ଅଭିଶେକ ଧୀରେ କହିଲେ—“ମନେ ରଖିବ... ମଣିଷ ଯେତିକି ଇତିହାସ ଲେଖିଛି, ତା'ଠାରୁ ଅନେକ ଅଧିକ ଇତିହାସ ଏପର୍ଯ୍ୟନ୍ତ ଅଲିଖିତ ରହିଛି।”କିଛି ଛାତ୍ରଙ୍କ ଆଖିରେ କୌତୂହଳ ଦେଖାଗଲା।“ତେଣୁ ଯାହା ପଢ଼ିଛ, ତାକୁ ଶେଷ ସତ୍ୟ ବୋଲି ଭାବନାହିଁ।”ସେ ଚକ୍ଟି ଟେବୁଲ୍ ଉପରେ ରଖିଲେ।“ପ୍ରଶ୍ନ କର। ଖୋଜ। ସନ୍ଦେହ କର। କାରଣ ସତ୍ୟ... ସବୁବେଳେ ଲେଖା ହୋଇନଥାଏ।”ସେ ବାହାରିବାକୁ ଲାଗିଲେ।“ସାର୍...”କେହି ତାଙ୍କୁ ଡାକିଲା।ଅଭିଶେକ ପଛକୁ ଫେରି ଚାହିଁଲେ।“ଆପଣ କେବେ ଫେରିବେ?”କିଛି ସେକେଣ୍ଡ ପାଇଁ ଅଭିଶେକଙ୍କ ମୁହଁ ଗମ୍ଭୀର ହୋଇଗଲା।ତା'ପରେ କହିଲେ—“ହୁଏତ... କେବେ ନୁହେଁ।”ଏତିକି କହି ସେ ବାହାରିଗଲେ।କିନ୍ତୁ ଚାରିଜଣ ଛାତ୍ର ତାଙ୍କୁ ଛାଡ଼ି ଯିବାକୁ ଚାହିଲେ ନାହିଁ।ରବି, ସ୍ମୃତି ଏବଂ ଆଉ ଦୁଇଜଣ ଘନିଷ୍ଠ ଛାତ୍ର ତାଙ୍କ ପାଖକୁ ଗଲେ।“ସାର୍, ଆପଣଙ୍କ ସହ ଆଜି କିଛି ସମୟ ବିତାଇବାକୁ ଚାହୁଁଛୁ।ଅଭିଶେକ ହସିଲେ।“ଠିକ୍ ଅଛି। କୁହ, କୁଆଡ଼େ ଯିବା?”ସେମାନେ ପାଖର ଏକ ପାର୍କକୁ ଗଲେ।କିଛି ସମୟ କଥା ହେଲେ।ପରେ ଗୋଟିଏ ହୋଟେଲ୍ରେ ବସି ଖାଇଲେ।ସମୟ କେମିତି କଟିଗଲା, କେହି ଜାଣିଲେ ନାହିଁ।ଶେଷରେ ରବି କହିଲା—“ସାର୍, ଗୋଟିଏ ଫଟୋ ହେଇଯାଉ।”ଅଭିଶେକ ତୁରନ୍ତ କହିଲେ—
“ନା।”
“କାହିଁକି ସାର୍?”
“ମୁଁ ଫଟୋ ଉଠାଏ ନାହିଁ।”
କିନ୍ତୁ ରବି ଚୁପଚାପ୍ ତାଙ୍କର ଗୋଟିଏ ଫଟୋ ଉଠାଇଦେଲା।
“ହେଇଗଲା ସାର୍!”
ଅଭିଶେକ ତାଙ୍କ ଆଡ଼କୁ ଚାହିଁଲେ।
“ମୋବାଇଲ୍ଟା ଦିଅ।”
ରବି ମୋବାଇଲ୍ ଦେଲା।
ଅଭିଶେକ ଫଟୋଟି ଡିଲିଟ୍ କରିଦେଲେ।
ରବି ଆଶ୍ଚର୍ଯ୍ୟ ହୋଇଗଲା।
“ସାର୍!”
“କ୍ଷମା କରିବ।”
ଅଭିଶେକ ଶାନ୍ତ ସ୍ୱରରେ କହିଲେ—
“ମୁଁ ଚାହେଁ ନାହିଁ ଯେ ମୋର ଫଟୋ ଅନ୍ୟ କାହା ପାଖରେ ରହୁ।”ରବି କିଛି କହିଲା ନାହିଁ।କିନ୍ତୁ ତା'ର ମନରେ ଗୋଟିଏ ପ୍ରଶ୍ନ ଜନ୍ମ ନେଲା।ଏଥିରେ ଏତେ ଅସୁବିଧା କ'ଣ?ତା'ପରେ ଆଉ ଗୋଟିଏ ପ୍ରଶ୍ନ।ଅଭିଶେକ ସାର୍ କେବେ ଫଟୋ ଉଠାନ୍ତି ନାହିଁ କାହିଁକି?ରବି ହଠାତ୍ ଆଉ ଏକ କଥା ମନେ ପକାଇଲା।ବିଭାଗର ପୁରୁଣା ଫଟୋଗୁଡ଼ିକରେ ସମସ୍ତ ଅଧ୍ୟାପକ ଥିଲେ।କେବଳ...ଅଭିଶେକ ନଥିଲେ।ସେତେବେଳେ ସେ ଏହାକୁ କେବେ ଗୁରୁତ୍ୱ ଦେଇନଥିଲା।କିନ୍ତୁ ଆଜି...ସେହି ଛୋଟ ଘଟଣାଟି ତା'ର ମନରେ ଅଜଣା ଏକ ସନ୍ଦେହ ସୃଷ୍ଟି କଲା।ସନ୍ଧ୍ୟା ହୋଇଗଲା।ଛାତ୍ରମାନେ ନିଜ ନିଜ ଘର ଓ ହଷ୍ଟେଲ୍କୁ ଫେରିଗଲେ।ଅଭିଶେକ ମଧ୍ୟ ନିଜ ଘରକୁ ଫେରିଲେ।କିଛି ସମୟ ପରେ ତାଙ୍କ ଫୋନ୍ ବାଜିଲା।“ହେଲୋ?”ସେପଟୁ ଜଣେ ସହକର୍ମୀଙ୍କ ଶବ୍ଦ—“ଅଭିଶେକ, ଆଜି ରାତିରେ କେଉଁଠି ଯିବୁନି।”“କାହିଁକି?”“ତୋ ପାଇଁ ବିଦାୟ ଭୋଜି ହେବ।”ଅଭିଶେକ ହସିଲେ।“ଠିକ୍ ଅଛି। ଆସ।”ଫୋନ୍ କଟିଗଲା।ସେ ଘଣ୍ଟାକୁ ଚାହିଁଲେ।ରାତି ହେବାକୁ ଆଉ କିଛି ସମୟ ବାକି ଥିଲା।ଅଭିଶେକ ଜାଣ୍ଲା ପାଖରେ ଯାଇ ଠିଆ ହେଲେ।ବାହାରେ ସହର ନିଜର ଗତିରେ ଚାଲିଥିଲା।କିନ୍ତୁ ତାଙ୍କ ଆଖିରେ ଥିଲା ଅଜଣା ଏକ ଶାନ୍ତି।ଯେପରି ସେ ଏହି ସହରକୁ ପ୍ରଥମଥର ଦେଖୁନାହାନ୍ତି।ଯେପରି...ସେ ଏହି ସହରକୁ ଅନେକଥର ଛାଡ଼ି ସାରିଛନ୍ତି।ଅଭିଶେକ ଧୀରେ ପରଦା ଟାଣିଦେଲେ।ଘରଟି ଅନ୍ଧାର ହୋଇଗଲା।କିନ୍ତୁ ଅନ୍ଧାର ଭିତରେ ତାଙ୍କ ମୁହଁରେ ଏକ ଅଜଣା ହସ ଦେଖାଗଲା।
କାହାଠାରୁ ଲୁଚୁଛନ୍ତି ଅଭିଶେକ?
ସେ ଫଟୋକୁ ଏତେ ଭୟ କାହିଁକି କରନ୍ତି?
ଏବଂ ସବୁଠାରୁ ବଡ଼ ପ୍ରଶ୍ନ—
ଦଶ ବର୍ଷ ପରେ ଅଭିଶେକ କେଉଁଠି ଯିବାକୁ ଚାହୁଁଛନ୍ତି?
ଏହି ପ୍ରଶ୍ନଗୁଡ଼ିକର ଉତ୍ତର...
ହୁଏତ ଆଜି ରାତିରେ ମିଳିବ।
କ୍ରମଶଃ...
0 Comments